ହାଇଦ୍ରାବାଦ: ପ୍ରେମିକ ସହ ମିଶି ନିଜ ପତ୍ନୀ ରଚିଥିଲେ ହତ୍ୟା ଷଡ଼ଯନ୍ତ୍ର । ଏଭଳି କିଛି ସାଙ୍ଘାତିକ ଅଭିଯୋଗ କରି ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ତେଲେଙ୍ଗାନାର ଜଣେ ବ୍ୟକ୍ତି । ତାଙ୍କ ମୃତ୍ୟୁକୁ ସଡ଼କ ଦୁର୍ଘଟଣାର ରୂପ ଦେବାକୁ ଯୋଜନା ହୋଇଥିବା ନେଇ ହ୍ୱାଟ୍ସଆପ୍ ଓ ଇନ୍ଷ୍ଟାଗ୍ରାମ୍ର କିଛି ଚାଟ୍ ସାମ୍ନାକୁ ଆସିଛି ।
ତେଲେଙ୍ଗାନାର ମହବୁବାବାଦ ଜିଲ୍ଲାର ଗାଡେ ରାଜେଶ୍ୱର ରାଓ ଏନେଇ ପୋଲିସରେ ଅଭିଯୋଗ କରିଛନ୍ତି । ତାଙ୍କ ପତ୍ନୀ ଭବାନୀ ଏବଂ ଖମ୍ମମର ଜଣେ କୋରିୟର ଡେଲିଭରି ଏଜେଣ୍ଟ ସାଇଦୁଲୁଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପକୁ ସେ ପୋଲିସକୁ ଦେଇଛନ୍ତି । ପୋଲିସ ପ୍ରଥମେ ଜିରୋ ଏଫଆଇଆର ରୁଜୁ କରି ମାମଲାକୁ ଖମ୍ମମ ରୁରାଲ୍ ପୋଲିସକୁ ହସ୍ତାନ୍ତର କରିଛି ।
ରାଓଙ୍କ ଅଭିଯୋଗ ଅନୁସାରେ, ୨୦୧୬ରେ ତାଙ୍କର ଭବାନୀଙ୍କ ସହ ବିବାହ ହୋଇଥିଲା ଏବଂ ସେମାନଙ୍କର ଦୁଇଟି ଝିଅ ଅଛନ୍ତି । ତାଙ୍କ ଅଭିଯୋଗ ହେଉଛି, ଭବାନୀଙ୍କ ସାଇଦୁଲୁଙ୍କ ସହ ସମ୍ପର୍କ ଥିଲା ଏବଂ ସେ ଘରେ ନଥିବା ସମୟରେ ସାଇଦୁଲୁ ତାଙ୍କ ଘରକୁ ଆସୁଥିଲେ । ଜୁଲାଇ ୨୭ରେ ତାଙ୍କର ସନ୍ଦେହ ବଢ଼ିଥିଲା । ପରେ ସେ ତାଙ୍କ ପତ୍ନୀଙ୍କ ଫୋନ୍ ଯାଞ୍ଚ କରିବା ବେଳେ ତାଙ୍କୁ ରାସ୍ତାରୁ ହଟାଇବା ନେଇ କଥାବାର୍ତ୍ତା ହୋଇଥିବା ଚାଟ୍ ମିଳିଥିବା ସେ ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁସାରେ, ଭବାନୀ ଘର ଭିତରେ ତାଙ୍କ ସ୍ୱାମୀଙ୍କୁ ହତ୍ୟା ନକରିବାକୁ କହିଥିଲେ, କାରଣ ଏହାଦ୍ୱାରା ସନ୍ଦେହ ସୃଷ୍ଟି ହୋଇଥାନ୍ତା । ଏହା ବଦଳରେ ତାଙ୍କ ମୃତ୍ୟୁକୁ ସଡ଼କ ଦୁର୍ଘଟଣା ଭଳି ଦେଖାଇବାକୁ ପ୍ରସ୍ତାବ ଦିଆଯାଇଥିବା ରାଓ ଅଭିଯୋଗ କରିଛନ୍ତି।
ଅନ୍ୟ ଏକ ବାର୍ତ୍ତାଳାପରେ ଭବାନୀ ସାଇଦୁଲୁଙ୍କୁ ତାଙ୍କ ସ୍ୱାମୀଙ୍କୁ ହତ୍ୟା ନକଲେ ସେ ନିଜେ ହତ୍ୟା କରିବେ ବୋଲି କହିଥିବା ଅଭିଯୋଗ ହୋଇଛି । ରାଓ ପୋଲିସକୁ ଚାଟ୍ର ସ୍କ୍ରିନ୍ସଟ୍ ସହ ଅନ୍ୟାନ୍ୟ ତଥ୍ୟ ଦେଇ ନିଜର ଏବଂ ଦୁଇ ଝିଅଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ମାଗିଛନ୍ତି ।
ଖମ୍ମମ ରୁରାଲ୍ ଇନ୍ସପେକ୍ଟର ଏମ୍. ରାଜୁ କହିଛନ୍ତି ଯେ, ପୋଲିସ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଛି । ଚାଟ୍ ମେସେଜ୍ ସମେତ ସମସ୍ତ ପ୍ରମାଣ ଯାଞ୍ଚ କରାଯାଉଛି । ଅଭିଯୋଗର ସତ୍ୟତା ଓ ଡିଜିଟାଲ୍ ପ୍ରମାଣର ପ୍ରାମାଣିକତା ମଧ୍ୟ ଯାଞ୍ଚ ହେଉଛି । ପୋଲିସ ସମସ୍ତ ଘଟଣାକୁ ନେଇ ତଦନ୍ତ କରୁଛି । ଏପଟେ ଭବାନୀ ଓ ସାଇଦୁଲୁ ଫେରାର ଥିବା ବେଳେ ପୋଲିସ ସେମାନଙ୍କୁ ଧରିବା ପାଇଁ ତନାଘନା ଜାରି ରଖିଛି ।
