ଭୁବନେଶ୍ବର: ଓଡ଼ିଶା କ୍ରୀଡ଼ା ଇତିହାସରେ ଯୋଡ଼ି ହେବାକୁ ଯାଉଛି ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ରାଜ୍ୟର ପ୍ରଥମ ସମ୍ପୂର୍ଣ୍ଣ ମହିଳା ପର୍ବତାରୋହୀ ଦଳ ହିମାଚଳ ପ୍ରଦେଶର ୨୦ ହଜାର ୧୦୦ ଫୁଟ ଉଚ୍ଚରେ ଥିବା ମାଉଣ୍ଟ୍ ୟୁନମ୍ ଶିଖର ଆରୋହଣ ଅଭିଯାନରେ ବାହାରିଛନ୍ତି। ଓଡ଼ିଶାର ୧୧ ଜଣ ନିର୍ଭୀକ ମହିଳା ନିଜ ସାହସ, ଆତ୍ମବିଶ୍ୱାସ ଓ ଦେଶପ୍ରେମର ପ୍ରତୀକ ଭାବେ ୮୦ତମ ସ୍ବାଧୀନତା ଦିବସ ଉପଲକ୍ଷେ ହିମାଳୟ ପର୍ବତ ଶୃଙ୍ଖଳାର ଏହି ଆହ୍ବାନପୂର୍ଣ୍ଣ ଶିଖରରେ ୮୦ ମିଟର ଲମ୍ବ ଜାତୀୟ ପତାକା ଉତ୍ତୋଳନ କରିବାର ସଙ୍କଳ୍ପ ନେଇ ଶୁକ୍ରବାରଠାରୁ ଏହି ରେକର୍ଡ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି। ସେମାନେ ଅଗଷ୍ଟ ୧୫ ସ୍ବାଧୀନତା ଅବସରରେ ଶିଖର ଛୁଇଁବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ଦଳରେ ୫ ଜଣ ଅଭିଜ୍ଞ ପର୍ବତାରୋହୀଙ୍କ ସହ ୫ ଜଣ ସଦସ୍ୟ ନୂଆ କରି ସାମିଲ ହୋଇଛନ୍ତି। ପର୍ବତାରୋହଣ କ୍ଷେତ୍ରରେ ୧୧ରୁ ଅଧିକ ବର୍ଷର ଅଭିଜ୍ଞତା ଥିବା ଭୁବନେଶ୍ବରର ଅନିତା ସ୍ବାଇଁ ଦଳର ନେତୃତ୍ବ ନେଉଛନ୍ତି। ଇତିହାସ ରଚିବା ଆଶା ନେଇ ଗତ ଏକ ମାସ ହେବ କଠିନ ଅଭ୍ୟାସ କରି ଆସୁଥିବା ଏହି ସଂପୂର୍ଣ୍ଣ ମହିଳା ଦଳରେ ୧୩ ବର୍ଷୀୟା ଆରାଧ୍ୟା ଜେନାଙ୍କ ଉପସ୍ଥିତି ଏହାକୁ ଅଧିକ ସ୍ବତନ୍ତ୍ର କରିଛି। ତାଙ୍କ ଅଂଶଗ୍ରହଣ ଓଡ଼ିଶାର ନୂଆ ପିଢ଼ିର ସାହସ, ସ୍ୱପ୍ନ ଓ ଆତ୍ମବିଶ୍ୱାସର ପ୍ରତୀକ ହୋଇଛି। ଏହି ଅଭିଯାତ୍ରୀ ଦଳ ହିମାଚଳପ୍ରଦେଶର ସୋଲାଙ୍ଗ ଉପତ୍ୟକା, ଜିସ୍ପା ଓ ଭରତପୁର ଦେଇ ପର୍ଯ୍ୟାୟକ୍ରମେ ଆଗକୁ ବଢ଼ିବ। ଶିବିର-୧ ସ୍ଥାପନ ପରେ ଦଳ ଶିଖର ଆରୋହଣ ପାଇଁ ଶେଷ ଯାତ୍ରାର ପଥିକ ହେବ।
